ନବରଙ୍ଗପୁର, ୮/୪ ଗୋବିନ୍ଦ ତ୍ରିପାଠୀ ,ନବରଙ୍ଗପୁର
ସରକାରୀ ଉନ୍ନୟନମୂଳକ କାର୍ଯ୍ୟ ଦେଶର ଅର୍ଥନୀତି ଓ ଗ୍ରାମୀଣ ଉନ୍ନତିର ମୂଳ ଆଧାର। କିନ୍ତୁ ଏହି କାର୍ଯ୍ୟର ମୂଳ ଶକ୍ତି ଥିବା ଶ୍ରମିକମାନେ ନିଜ ଅଧିକାରରୁ ବଞ୍ଚିତ ଥିବା ଅଭିଯୋଗ ହୋଇଛି। ବିଭିନ୍ନ ଠିକା ସଂସ୍ଥା ରାଜ୍ୟ ସରକାରଙ୍କ ଶ୍ରମ ଆଇନକୁ ଉଲଂଘନ କରି ଶ୍ରମିକଙ୍କୁ ସରକାର ନିର୍ଦ୍ଧାରିତ ମଜୁରୀ ଦେଉ ନ ଥିବା ଅଭିଯୋଗ ହୋଇଛି। ଠିକାଦାରମାନେ ଶ୍ରମିକଙ୍କ ପ୍ରାପ୍ୟକୁଲୁଟି ନେଉଛନ୍ତି | ନବରଙ୍ଗପୁର ବ୍ଲକ୍ ଚଟାହାଣ୍ଡି ଗାଁର ମହିଳା ଶ୍ରମିକ ଦଶୁ ଭତ୍ରା, ମାଳତୀ ଗୌଡ, ବାସନ୍ତୀ ଗୌଡ, ଉଲ୍ଲାସୀ ଭତ୍ରା, ଗୋମତି ଭତ୍ରା ପ୍ରମୁଖ ଏଭଳି ଅଭିଯୋଗ କରିଛନ୍ତି I ସରକାରଙ୍କ ନିୟମ ଅନୁଯାୟୀ ୪୬୨ ଟଙ୍କା ଦୈନିକ ମଜୁରି ରହିଛି। କିନ୍ତୁ ସେମାନଙ୍କୁ ସକାଳ ୯ରୁ ଅପରାହ୍ନ ସାଢ଼େ ୫ଟା ଯାଏଁ ଖରାବର୍ଷାରେ ଖଟାଇ ଦୈନିକ ୨୩୦ ଟଙ୍କା ମଜୁରୀ ପ୍ରଦାନ କରାଯାଉଥିବା ଚଟାହାଣ୍ଡି ଗାଁର ମହିଳା ଶ୍ରମିକମାନେ ଅଭିଯୋଗ କରିଛନ୍ତି।
ଅନ୍ୟପକ୍ଷେ ବିଭାଗୀୟ ଅଧିକାରୀମାନେ ମଧ୍ୟ ଶ୍ରମିକଙ୍କୁ ସରକାରୀ ନିର୍ଦ୍ଧାରିତ ପ୍ରାପ୍ୟ ସୁନିଶ୍ଚିତ କରିବାକୁ ନେଇ କୌଣସି ତଦାରଖ କରୁ ନ ଥୁବାରୁ ଠିକା ସଂସ୍ଥା ମନଇଚ୍ଛା ମଜୁରୀ ଦେଉଛନ୍ତି। ଏ ନେଇ ପୂର୍ବ ବିଭାଗର ଅଧିକ୍ଷଣ ଯନ୍ତ୍ରୀ କ୍ଷୀରଧର ଖଣ୍ଡପାଣଙ୍କୁ ପଚାରିବାରୁ ନବରଙ୍ଗପୁର ଦୀର୍ଘ ୧୯ କିଲୋମିଟର ରାସ୍ତା ପାଇଁ ରାଜ୍ୟ ସରକାର ୩୫ କୋଟି ୯୬ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଏଥିରେ ରାଜ୍ୟ ସରକାରଙ୍କ ନିର୍ଦ୍ଧାରିତ ଶ୍ରମିକ ମଜୁରୀ ମଧ୍ୟ ସାମିଲ ରହିଛି ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ଠିକାଦାର ଶ୍ରମିକଙ୍କୁ କମ୍ ମଜୁରୀ ଦେଉଥିବା ନେଇ ତାଙ୍କ ନିକଟରେ କୌଣସି ଅଭିଯୋଗ ହୋଇ ନ ଥିବା ସେ କହିଛନ୍ତି । ସେହିଭଳି ଜିଲ୍ଲା ଶ୍ରମ ଅଧିକାରୀ ଛୋଟରାୟ ଟୁଡ଼ୁଙ୍କୁ ପଚାରିବାରୁ ଅଭିଯୋଗ ପରେ ତଦନ୍ତ କରାଯିବ ବୋଲି କହିଛନ୍ତି। ତଦନ୍ତ ପରେ ଶ୍ରମ ବିଭାଗ ପକ୍ଷରୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।
ଜିଲ୍ଲାରେ ଏହି ଗୋଟିଏ ନିର୍ମାଣ କାର୍ଯ୍ୟ ନୁହେଁ, ଅନେକ ନିର୍ମାଣ କାର୍ଯ୍ୟରେ ଶ୍ରମିକଙ୍କୁ ସରକାରୀ ନିର୍ଦ୍ଧାରିତ ମଜୁରୀ ମିଳୁନାହିଁ । ଏ ନେଇ ସମ୍ପୃକ୍ତ ବିଭାଗ ପକ୍ଷରୁ ମଧ୍ୟ ଶ୍ରମିକଙ୍କୁ ସଚେତନ କରୁ ନ ଥିବା ବେଳେ ଶ୍ରମିକ ବିଭାଗ ମଧ୍ୟ ନିଜ ଉଦ୍ୟମରେ କୌଣସି ପଦକ୍ଷେପ ଗ୍ରହଣ କରୁ ନ ଥିବା ଯୋଗୁ ଜିଲ୍ଲାରେ ଶ୍ରମ ଆଇନକୁ ଠିକାଦାରମାନେ ଖୋଲା ଖୋଲି ଉଲଂଘନ କରିବା ସହ ଶ୍ରମିକଙ୍କ ମଜୁରୀ ପ୍ରାପ୍ୟକୁ ବାଟମାରଣା କରୁଥିବା ଅଭିଯୋଗ ହୋଇଛି। ଏପରିକି ଅଧୀକ୍ଷଣ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ଓ ସରକାରୀ କର୍ମଚାରୀ କାର୍ଯ୍ୟସ୍ଥଳକୁ ଯାଉଥିଲେ ମଧ୍ୟ ଏହି ଅସଙ୍ଗତିକୁ ଅଣଦେଖା କରୁଛନ୍ତି । ଅନ୍ୟପକ୍ଷେ ଶ୍ରମିକମାନେ ସଚେତନତାର ଅଭାବରୁ ନିଜ ଅଧିକାର ଦାବି କରିପାରୁନାହାନ୍ତି ବୋଲି କହିଛନ୍ତି। ସରକାରଙ୍କ ଦ୍ବାରା ନିୟମିତ ଓ କଠୋର ନିରୀକ୍ଷଣ ବ୍ୟବସ୍ଥା କରାଯିବା ସହ ଶ୍ରମିକମାନଙ୍କୁ ସେମାନଙ୍କ ଅଧିକାର ବିଷୟରେ ସଚେତନ କରିବା ଆବଶ୍ୟକ। ଯେଉଁ ଠିକାଦାର ବା ଅଧିକାରୀ ନିୟମ ଉଲଂଘନ କରୁଛନ୍ତି, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ନିଆଯିବା ଦରକାର ବୋଲି ଦାବି ହୋଇଛି। ଅଭିଯୋଗ କରିଥିବ। ଚଟ।ହ।ଣ୍ଢି ଗ।ଅଁ। ର ମହିଳ। ଶ୍ରମିକ ।
Post a Comment