ପର ବାରଣ୍ଡାରେ ମୁଣ୍ଡ ଗୁଞ୍ଜିଛନ୍ତି ପ୍ରତିମା

ନବରଙ୍ଗପୁର, ୨୫/୩: ନବରଙ୍ଗପୁର ବ୍ଲକର ଚଟାହାଣ୍ଡି ଠାରେ ରାଜ୍ୟ ସରକାରଙ୍କ ସାମାଜିକ ସଶକ୍ତିକରଣ ବିଭାଗ ଦ୍ବାରା ବୃଦ୍ଧାଶ୍ରମ ତଥା ସମନ୍ବିତ ଭିତ୍ତଭୂମି କମ୍ପ୍ଲେକ୍ସ (ଆଇଆଇସି) ନିର୍ମାଣ କରାଯାଇଥିଲା । ଏଥିପାଇଁ ପ୍ରାୟ ୨୯କୋଟି ଖର୍ଚ୍ଚ ହୋଇଥିବା ବେଳେ ସାଢ଼େ ୨୨ ଏକର ଜମିରେ ନିର୍ମାଣ ହୋଇଛି | ନବନିର୍ମିତ ଏହି କୋଠାରେ ୪୦୦ ଶଯ୍ୟା ରହିଛି । ଗତବର୍ଷ ବୃଦ୍ଧାଶ୍ରମ ନିର୍ମାଣ ସରିଥିବା ବେଳେ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହେଉନି।

ସୂଚନା ଅନୁସାରେ, ଜିଲ୍ଲାର ୧୦ଟି ବ୍ଲକ ଓ ୨ଟି ପୌରାଞ୍ଚଳରେ ଇନ୍ଦିରାଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ଯୋଜନାରେ ୫୦, ୮୦୧ ଓ ମଧୁବାବୁ ଭତ୍ତା ଯୋଜନାରେ ୫୨,୮୨୨ ଏହିପରି ୧ଲକ୍ଷ ୩ହଜାର ୬୨୩ ଜଣ ବୃଦ୍ଧବୃଦ୍ଧା ଭତ୍ତା ପାଉଛନ୍ତି। ଏହାବାଦେ ବହୁ ବୃଦ୍ଧବୃଦ୍ଧା ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି। ସହର ଉପକଣ୍ଠସ୍ଥ ବେହେରାଗୁଡ଼ା ଗ୍ରାମର ୮୧ବର୍ଷିୟା ବୃଦ୍ଧା ପ୍ରତିମା ପାଇକ ନିଜସ୍ବ ଘର ନଥିବାରୁ ପର ବାରଣ୍ଡାରରେ ମୁଣ୍ଡ ଗୁଞ୍ଜିଛନ୍ତି। ସରକାରଙ୍କ ପକ୍ଷରୁ ଭତ୍ତା ମିଳୁଛି। କିନ୍ତୁ ରହିବାକୁ ଘର ଖଣ୍ଡିଏ ନଥିବାରୁ ବେସାହାରା ହୋଇପଡ଼ିଛନ୍ତି। ବାର୍ଦ୍ଧକ୍ୟ ଯୋଗୁଁ ଆଖିକୁ ଭଲ ଦିଶୁନି। ସାହି ପଡ଼ିଶା ଯାହା ଦେଲେ ସେଥିରେ ଚଳୁଛନ୍ତି । ପ୍ରତିମାଙ୍କ ଭଳି ଅନେକ ବୃଦ୍ଧବୃଦ୍ଧାଙ୍କୁ ଏଭଳି ଅବସ୍ଥାରେ ଦେଖିବାକୁ ମିଳେ ତେଣୁ ବୃଦ୍ଧାଶ୍ରମ କାର୍ଯ୍ୟକ୍ଷମ ହେଲେ ସହାୟକ ହୋଇପାରିବା ଏନେଇ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସୁଧାଂଶୁ ପାତ୍ରଙ୍କୁ ଯୋଗାଯୋଗ କରିବାରୁ ବୃଦ୍ଧାଶ୍ରମରେ ସେବା ଯୋଗାଇବାକୁ ୨୪ଘଣ୍ଟିଆ ଡାକ୍ତର, ବୈଷୟିକ କର୍ମଚାରୀ ଓ ଅନ୍ୟାନ୍ୟ ସୁବିଧା, ଜିମ୍, ଯୋଗରୁମ୍ କରାଯାଇନି। ଏଥିସହ ସୁରକ୍ଷା ପାଇଁ ସିସିଟିଭି କ୍ୟାମେରା, ଅଗ୍ନି ନିରାପତ୍ତା ବ୍ୟବସ୍ଥା, କର୍ମଚାରୀମାନଙ୍କ କ୍ୱାର୍ଟର୍ସ ନିର୍ମାଣ ହୋଇନି ତେଣୁ ଏହାକୁ କାର୍ଯ୍ୟକାରୀ କରିବା ସମ୍ଭବପର ହେଉନି ବୋଲି ସେ କହିଛନ୍ତି ।

ଅପରପକ୍ଷେ, ପରିବର୍ଦ୍ଧିତ ରୂପରେଖ ପାଇଁ ପୂର୍ବ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟକୁ ୧୬କୋଟିର ଏଷ୍ଟିମେଟ୍ ପଠାଇଛି। ଅନୁମୋଦନ ହୋଇଆସିଲେ ଏହି ଆଶ୍ରମ କାର୍ଯ୍ୟକାରୀ ହେବ ବୋଲି ପୂର୍ବ ବିଭାଗର ଅଧିକ୍ଷଣ ଯନ୍ତ୍ରୀ କ୍ଷୀରଧର କନ୍ଧପାଣି କହିଛନ୍ତି।





Post a Comment

Previous Post Next Post
Loading...

Breaking News

राजनीति समाचार
राजनीति समाचार लोड हो रहे हैं...